ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ତୁଲାଉଥିବା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବାଲ୍ୟ ବିବାହର ମୁକାବିଲା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ବାଲ୍ୟ ବିବାହର ସଂକଟ ସମ୍ପର୍କରେ ସମାଜକୁ ଅବଗତ କରିବା ସହ ଜିଲ୍ଲାରେ ଏହି ବେଆଇନ କାର୍ଯ୍ୟକୁ ରୋକିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ।ଅନୁଗୁଳ ଜିଲ୍ଲାପାଳ ଅବଦାଲ ଅଖତର ଆନୁଷ୍ଠାନିକ ଭାବେ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ (ଏଡିଏମ) ପ୍ରତାପ ପ୍ରୀତିମୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନିରୁପମା ପାଣି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରାଙ୍କ ସମେତ ଆଇସିଡିଏସର କର୍ମଚାରୀ ଏବଂ ଜିନ୍ଦଲ ଫାଉଣ୍ଡେସନର ସଦସ୍ୟମାନେ ସାମିଲ ହୋଇଥିଲେ ।ଝିଅମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସୁଯୋଗ ଉପରେ ଗୁରୁତ୍ୱ ଦେବା ସହ ସଠିକ୍ ବୟସରେ ବିବାହ କରିବାର ଉପାଦେୟତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଏହି ଅବସରରେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି ।ଏହି ସଚେତନତା ରଥ ବିଭିନ୍ନ ଗାଁ ଏବଂ ସହର ବୁଲି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ବାଲ୍ୟ ବିବାହ ବିରୋଧରେ କଠୋର ଆଇନ ଆଣିବା ସହ ବାଲ୍ୟ ବିବାହ କିଭଳି ଝିଅମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶକୁ ପ୍ରଭାବିତ କରୁଛି, ସେ ସମ୍ପର୍କରେ ଜାଗରଣ ସୃଷ୍ଟି କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ ।ବାଲ୍ୟ ବିବାହ ଝିଅମାନଙ୍କୁ କେବଳ ଶିକ୍ଷା, ସ୍ୱାସ୍ଥ୍ୟ ଓ ସୁରକ୍ଷାରୁ ବଂଚିତ ରଖେ ତାହା ନୁହେଁ ବରଂ ଅତି କମ ବୟସରେ ସେମାନଙ୍କ ପିଲାଦିନକୁ ମାରିଦିଏ । ଯାହାର ନକରାତ୍ମକ ପ୍ରଭାବ ବ୍ୟକ୍ତିବିଶେଷଠାରୁ ଆରମ୍ଭ କରି ପରିବାର ଓ ସମାଜ ଉପରେ ପଡିଥାଏ ।ଏହି ଅଭିଯାନ ମାଧ୍ୟରେ ଲୋକଙ୍କୁ ସାମିଲ କରି ଜାଗରଣ ସୃଷ୍ଟି କରିବା ସହ ସମାଜରେ ସମାନତା ଆଣିବା ଦିଗରେ ଏକ ଗୁରତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।ସେହିପରି ଜିନ୍ଦଲ ଫାଉଣ୍ଡେସନ ଯଶସ୍ୱୀ କାର୍ଯ୍ୟକ୍ରମ ଜରିଆରେ ଅବହେଳିତ ଝିମାନଙ୍କୁ ସେମାନଙ୍କ ପସନ୍ଦର ଉଚ୍ଚଶିକ୍ଷା ପାଇଁ ନିରନ୍ତର ସହାୟତା ପ୍ରଦାନ କରି ଆସୁଛି ।