୯୫ ହଜାର ଟଙ୍କା ନେଇଥିଲେ, ଚାକିରୀ ମାଗିବାରୁ ପଥରରେ ଛେଚି ହତ୍ୟା

ଛେଣ୍ତିପଦା : ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଜଙ୍ଗଲରେ ଅଭାବନୀୟ ଘଟଣା । ହିଙ୍ଗୁଳା ମାଇନ୍ସ ରେ ଚାକିରୀ କରେଇ ଦେବା ନାଁରେ ୯୫ ହଜାର ଟଙ୍କା ଠକିନେଇଥିଲେ। ଚାକିରୀ ମାଗିବାରୁ ସମ୍ପୃକ୍ତ ଯୁବକକୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା ପରେ ଆଜି ଘଟଣାର ପର୍ଦାଫାସ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ୫ ମାସ ପୂର୍ବରୁ ସମ୍ବଲପୁର ଜିଲ୍ଲା କତରଭଗା ଗ୍ରାମର ଲୋକନାଥ ମେହେରଙ୍କୁ ତାଳଚେର ହିଙ୍ଗୁଳା କୋଇଲା ଖଣିରେ ଚାକିରୀ କରେଇବା ନାଁରେ ବ୍ରଜରାଜନଗରର ଅଜିତ ବଢ଼େଇ ୯୫ ହଜାର ଟଙ୍କା ଠକିନେଇଥିଲେ। ଚାକିରୀ ନାଁରେ ଦିନ ଗଡେଇ ଚାଲିଥିବା ବେଳେ ଲୋକନାଥ ଚାକିରୀ ନହେଲେ ଟଙ୍କା ଫେରେଇବା ପାଇଁ କହିଥିଲେ। ବାଧ୍ୟହୋଇ ଅଜିତ ଗତ ୪ ତାରିଖ ଦିନ ଲୋକନାଥଙ୍କୁ ନେଇ ଅନୁଗୁଳ ପହଞ୍ଚିଥିଲେ। ସେଠାରୁ ରାଇଝରଣ ଆସି ସେଠାରୁ ଅଜିତ ବାଇକରେ ଲୋକନାଥଙ୍କୁ ବସେଇ ହିଙ୍ଗୁଳା ଖଣି ଯିବା କହି କଙ୍କରେଇ ନାଳ ନିକଟରେ ଶୌଚ ପାଇଁ ଅଟକିଥିଲେ। ଲୋକନାଥକୁ ରାସ୍ତାରୁ ହଟେଇବା ଯୋଜନାରେ ନାଳ ଭିତରେ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରିଥିଲେ। ହତ୍ୟା ପରେ ଅଜିତ ଫେରାର ହୋଇଥିଲେ। ଲୋକନାଥଙ୍କ ପରିବାର ଲୋକେ ଯୋଗାଯୋଗ ହୋଇନପାରିବାରୁ ସମ୍ବଲପୁର ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ। ଅଭିଯୋଗରେ ସମ୍ବଲପୁର ପୁଲିସ ଅଜିତଙ୍କୁ ଅଟକ ରଖି ପଚରା ଉଚାରା ପରେ ନିଶା ଶିଳ୍ପାଞ୍ଚଳ ପୁଲିସ ସହାୟତାରେ କଙ୍କରେଇ ନାଳ ନିକଟ ଜଙ୍ଗଲରୁ ଲୋକନାଥଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣାରେ ନିଶା ଶିଳ୍ପାଞ୍ଚଳ ପୁଲିସ ଅଜିତକୁ ଅଟକ ରଖି ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ୍ ମିଟ୍ ସାହାଯ୍ୟରେ ଘଟଣାର ତଦନ୍ତ ଚଳେଇଛି ।